ସଂସ୍କୃତି ଅଧ୍ୟୟନ ବିଭାଗ
ଏହି ଦୁଇ ବର୍ଷର ଅଦ୍ୟତିତ ପାଠ୍ୟକ୍ରମ ସଂସ୍କୃତିର ଅଭିନବ ଅନୁଧ୍ୟାନ ପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ବ୍ୟାପକ ଅର୍ଥ ବହନ କରୁଥିବା ‘ସଂସ୍କୃତି’ ଶବ୍ଦର ଧାରଣାଗତ ସ୍ପଷ୍ଟୀକରଣ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମଟି ‘ସଂସ୍କୃତି ଅଧ୍ୟୟନ’ ବିଷୟରେ ସବିଶେଷ ସୂଚନା ପ୍ରଦାନ କରେ। ଭାରତୀୟ ସଂସ୍କୃତିର ଅଧ୍ୟୟନକୁ କେବଳ ନୃତତ୍ତ୍ୱ (ଆନ୍ଥ୍ରୋପୋଲୋଜି), ସମାଜବିଜ୍ଞାନ, ଇତିହାସ, ଆଦିବାସୀ ଅଧ୍ୟୟନ ଏବଂ ଲିଙ୍ଗଗତ ଅଧ୍ୟୟନ ଭଳି ପାରମ୍ପରିକ ବିଷୟକୁ ସୀମା ମଧ୍ୟରେ ଆବଦ୍ଧ ନରଖି, ଏହାକୁ ଏକ ସ୍ୱତନ୍ତ୍ର ଶୈକ୍ଷିକ ବିଷୟ ଭାବେ ପ୍ରତିଷ୍ଠା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ, ଏହା ଏକ ଆନ୍ତଃବିଭାଗୀୟ ପ୍ରୟାସ, ଯାହା ଉଭୟ ପାରମ୍ପରିକ ତଥା ଆଧୁନିକ ଜଗତୀକରଣ ପ୍ରସଙ୍ଗରେ ସଂସ୍କୃତିର ଜଟିଳତାକୁ ଅନୁସନ୍ଧାନ କରିବାକୁ ଚେଷ୍ଟା କରେ। ଏହା ଛାତ୍ରଛାତ୍ରୀମାନଙ୍କୁ ସମୟ ଓ ସ୍ଥାନ ଭେଦରେ ମାନବ ସଂସ୍କୃତିର ବିବିଧତା ଏବଂ ବିଶେଷ କରି ଓଡ଼ିଶା ତଥା ଭାରତୀୟ ସଂସ୍କୃତିର ବହୁମୁଖୀ ଆଭିମୁଖ୍ୟ ସହ ପରିଚିତ କରାଇଥାଏ। ପୂର୍ବରୁ କେବଳ ୟୁରୋ-ଆମେରିକୀୟ ଏକାଡେମୀରେ ସ୍ଥାନ ପାଇଥିବା ଏହି ଅନନ୍ୟ ବିଷୟଟି, ବର୍ତ୍ତମାନ ଭାରତର ବିଭିନ୍ନ ସାମାଜିକ-ସାଂସ୍କୃତିକ ଧାରାକୁ ବୁଝିବା ସହ ଗବେଷଣା ଓ ଜୀବିକା ନିର୍ବାହ କ୍ଷେତ୍ରରେ ଅଗଣିତ ସୁଯୋଗ ସୃଷ୍ଟି କରିବ।

