ଲକ୍ଷ୍ୟ ଏବଂ ଦୃଷ୍ଟିକୋଣ
ବିଶ୍ୱବିଦ୍ୟାଳୟର ମୂଳ ଲକ୍ଷ୍ୟ ହେଉଛି ସଂସ୍କୃତି ଓ ଶିକ୍ଷାର ସୁଫଳକୁ ସମାଜର ସମସ୍ତ ସ୍ତରରେ ପହଞ୍ଚାଇବା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏପରି ନୀତି ଓ କାର୍ଯ୍ୟକ୍ରମ ପ୍ରଣୟନ କରିବା, ଯାହା ମାଧ୍ୟମରେ ଶୈକ୍ଷିକ ଅଧ୍ୟୟନ ଓ ଗବେଷଣାର ଗୁଣାତ୍ମକ ବିକାଶ ସହିତ ଆମର ସମନ୍ୱିତ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାର ସମ୍ଭବ ହୋଇପାରିବ। ଏହି ପ୍ରୟାସ ବିଶ୍ୱବିଦ୍ୟାଳୟକୁ ଏକ ସ୍ୱତନ୍ତ୍ର ତଥା ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ପ୍ରତିଷ୍ଠିତ କରିବ। ।
ସଂସ୍କୃତି ଓ ବିକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରାସଙ୍ଗିକ ଏବଂ ଅଗ୍ରଣୀ କ୍ଷେତ୍ରରେ ଗବେଷଣା, ଅଧ୍ୟୟନ ଓ ସୃଜନାତ୍ମକ କାର୍ଯ୍ୟକଳାପକୁ ଏହି ବିଶ୍ୱବିଦ୍ୟାଳୟ ପ୍ରୋତ୍ସାହନ ଦେଇଥାଏ।
ବିଶ୍ୱବିଦ୍ୟାଳୟର ପ୍ରମୁଖ ଉଦ୍ଦେଶ୍ୟଗୁଡ଼ିକ
ଅଧିନିୟମରେ ନିର୍ଦ୍ଧାରିତ ଆଇନଗତ ବ୍ୟବସ୍ଥା ଅନୁଯାୟୀ ବିଶ୍ୱବିଦ୍ୟାଳୟର ମୂଳ ଉଦ୍ଦେଶ୍ୟଗୁଡ଼ିକ ହେଲା—
୧. ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣର ପ୍ରୋତ୍ସାହନ ଭାଷା, ସାହିତ୍ୟ, ଧର୍ମ, ଚିତ୍ରକଳା, ପ୍ରଦର୍ଶନ କଳା, ମୂର୍ତ୍ତିକଳା, ସ୍ଥାପତ୍ୟ, ଲୋକସଂସ୍କୃତି, ଆଦିବାସୀ ଅଧ୍ୟୟନ ଓ ଅନ୍ୟାନ୍ୟ ସାଂସ୍କୃତିକ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା।
୨. ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ଲାଇବ୍ରେରୀ, ଅଭିଲେଖାଗାର, ଗ୍ୟାଲେରୀ, ଷ୍ଟୁଡିଓ ପ୍ରତିଷ୍ଠା, କର୍ମଶାଳା ଆୟୋଜନ ଏବଂ ପ୍ରକାଶନ କାର୍ଯ୍ୟକ୍ରମ ମାଧ୍ୟମରେ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଅନୁସନ୍ଧାନ, ସଂରକ୍ଷଣ ଓ ପ୍ରଚାର ପ୍ରସାର କରିବା।
୩. ସୃଜନଶୀଳତା ଓ ଉତ୍କର୍ଷତାର ବିକାଶ ସଂସ୍କୃତିର ବିଭିନ୍ନ କ୍ଷେତ୍ରରେ ଶିକ୍ଷାର ପ୍ରସାର, ସୃଜନଶୀଳ ଚିନ୍ତାଧାରାର ବିକାଶ ଏବଂ ଉତ୍କର୍ଷତା ପ୍ରତିପାଦନ କରିବା ।
୪. ଆନ୍ତଃବିଭାଗୀୟ ଅଧ୍ୟୟନକୁ ପ୍ରୋତ୍ସାହନ ଗବେଷଣା, ଶିକ୍ଷାଦାନ ଓ ସୃଜନଶୀଳ କାର୍ଯ୍ୟକଳାପରେ ଆନ୍ତଃବିଭାଗୀୟ ଦୃଷ୍ଟିଭଙ୍ଗୀକୁ ପ୍ରୋତ୍ସାହନ ଦେବା ଏବଂ ସେଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରିବା।
୫. ଜାତିଗତ ଓ ଲୋକସଂସ୍କୃତି ଅଧ୍ୟୟନ ନୃତତ୍ତ୍ୱ-ସଙ୍ଗୀତବିଜ୍ଞାନ (ଏଥ୍ନୋ-ମ୍ୟୁଜିକୋଲୋଜି) ସମେତ ବିଭିନ୍ନ ଜାତିଗତ ଓ ଲୋକସଂସ୍କୃତି ଅଧ୍ୟୟନକୁ ପ୍ରୋତ୍ସାହିତ କରିବା
୬. ଶିକ୍ଷାବିଦ୍ ଓ ଗବେଷକଙ୍କ ମଧ୍ୟରେ ସହଯୋଗ ଶୈକ୍ଷିକ ଓ ଗବେଷଣା ସମ୍ପ୍ରଦାୟ ମଧ୍ୟରେ ଚିନ୍ତାଧାରାର ଆଦାନ-ପ୍ରଦାନ ଓ ସହଯୋଗ ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବା।
୭. ଜାତୀୟ ଓ ଆନ୍ତର୍ଜାତୀୟ ସହଯୋଗ ଦେଶ ଓ ବିଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ବୁଝାମଣାର ସ୍ମାରକପତ୍ର ସ୍ୱାକ୍ଷର କରି ଜ୍ଞାନ ତଥା ଶୈକ୍ଷିକ ବିନିମୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା।
୮. ବିଦେଶୀ ଭାଷା ଅଧ୍ୟୟନ ବିଦେଶୀ ଭାଷାରେ ଶିକ୍ଷାଦାନ ଓ ଗବେଷଣା ପାଇଁ ଆବଶ୍ୟକ ସୁବିଧାଗୁଡ଼ିକୁ ସୃଷ୍ଟି କରିବା।
୯. ସଂସ୍କୃତି ଓ ବିକାଶର ସମ୍ପର୍କ ନିର୍ଦ୍ଧାରଣ ସଂସ୍କୃତି ଏବଂ ପ୍ରଗତି ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରି ଦୀର୍ଘକାଳୀନ ଏବଂ ପ୍ରାଥମିକତା ଭିତ୍ତିକ କାର୍ଯ୍ୟଯୋଜନା ପ୍ରଣୟନ କରିବା।
୧୦. ଅନ୍ୟାନ୍ୟ ଆବଶ୍ୟକୀୟ କାର୍ଯ୍ୟକଳାପ ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ସାଧନ ପାଇଁ ଆବଶ୍ୟକୀୟ ଅନ୍ୟ ସମସ୍ତ କାର୍ଯ୍ୟକଳାପ ପରିଚାଳନା କରିବା।
କ୍ୟାମ୍ପସ ଜୀବନ ଓ ଶିକ୍ଷା ପରିବେଶ
ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁ-ଶିଷ୍ୟ ପରମ୍ପରାର ଉତ୍କୃଷ୍ଟ ଧାରା ଆଜି ମଧ୍ୟ ଅକ୍ଷୁଣ୍ଣ ରହିଛି। ଏଠାକାର ଶୈକ୍ଷିକ ଓ ସାମାଜିକ ପରିବେଶ ଅନୁକୂଳ, ସୁସ୍ଥ ଏବଂ ପ୍ରେରଣାଦାୟୀ । ଏଠାକାର ଯୋଗ୍ୟ ତଥା ଅଭିଜ୍ଞ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରି ଶିକ୍ଷାଦାନକୁ ଅଧିକ ଫଳପ୍ରଦ କରିଥାନ୍ତି।
ଏଠାରେ ତାତ୍ତ୍ୱିକ ଓ ପ୍ରାୟୋଗିକ, ଉଭୟ ଶିକ୍ଷା ଉପରେ ସମାନ ଗୁରୁତ୍ୱ ପ୍ରଦାନ କରାଯାଏ। ବିଶିଷ୍ଟ ଅଧ୍ୟାପକମାନଙ୍କ ନିରନ୍ତର ପ୍ରୟାସ, ଶିକ୍ଷାଦାନ, ଗବେଷଣା ଓ ସୃଜନଶୀଳତାକୁ ଅଧିକ ଆକର୍ଷଣୀୟ ଏବଂ ଜୀବନ୍ତ କରିଥାଏ। ବିଶ୍ୱବିଦ୍ୟାଳୟ ସର୍ବଦା ନିଜର ସମସ୍ତ ହିତାଧିକାରୀଙ୍କ ପାଇଁ ଏକ ସମର୍ଥ, ସୃଜନଶୀଳ ଓ ପ୍ରଗତିଶୀଳ ଶୈକ୍ଷିକ ପରିବେଶ ଗଢ଼ି ତୋଳିବାକୁ ପ୍ରତିବଦ୍ଧ ।